Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ନାରୀପର୍ବ

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

ବିଷୟ

୧।

ପାଣ୍ଡବଙ୍କର ହସ୍ତିନା ପ୍ରବେଶ, ଧୃତରାଷ୍ଟ୍ରଙ୍କର ଶୋକ ଓ ଗାନ୍ଧାରୀଙ୍କର ନେତ୍ରଜଳରେ ଦୁର୍ଦ୍ଦକ୍ଷର ଦହନ

୨।

ଧୃତରାଷ୍ଟ୍ରଙ୍କ ଦ୍ୱାରା ଲୌହଭୀମ ଚୂର୍ଣ୍ଣ ଓ ଗାନ୍ଧାରୀର ଶ୍ରୀକୃଷ୍ଣଙ୍କୁ ଶାପ ପ୍ରଦାନ

 

ପାଣ୍ତବଙ୍କରହସ୍ତିନାପ୍ରବେଶ, ଧୃତିରାଷ୍ଟ୍ରଙ୍କର ଶୋକ ଓ
ଗାନ୍ଧାରୀଙ୍କର ନେତ୍ରଜଳରେ ଦୁର୍ଦ୍ଦକ୍ଷର ଦହନ

ବଇବସୁତ ମନୁ ଯେ ବିଲଂକ ଦେଶର ରାଜା

ଅଗସ୍ତିଂକ ପାଦପଦ୍ମେ କଲେକ ଦିବ୍ୟପୂଜା।୧।

ପରବ୍ରଂହ୍ମ ତୁମ୍ଭେ ଅଟ ନିରଞ୍ଜନ ଦେବତା

ତବ ଶ୍ରୀମୁଖୁଂ ଶୁଣିମି ମୁଂ ମହାଭାରତ ବାରତା।୨।

ପରୀକ୍ଷ ଜନ୍ମହୋଇଣ ଲଭିଲେ ଜୀବିତ

ତେଣୁକରି ପରୀକ୍ଷ ନାମ ଦିଲେକ ଜଗତନାଥ।୩।

ଦୁସହ ପରୀକ୍ଷାରୁ ଯହୁଂ ଉପୁଜିଲା ବାଳ

ତେଣୁ କରି ପରୀକ୍ଷ ନାମ ହୋଇଲା ଚିରକାଳ।୪।

ୟେଥି ଉତ୍ତାରୁ କିସ ହୋଇଲା ବ୍ରହ୍ମବେତ୍ତା

କହିବା ମୁନି ହେ ୟେଥିର ତଦନ୍ତ ବାରତା।୫।

କହନ୍ତି ଅଗସ୍ତିୟେ ପଣ୍ଡିତ ବ୍ରହ୍ମଋଷି

ସାବଧାନ ହୋଇ ଶୁଣ ରାଜା ଶୋକପର୍ବର ଉଦେଶି।୬।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଯେ ଅଗସ୍ତି

ଉତ୍ତରା ପ୍ରାଣତ୍ୟାଜ ହୋଇଲା ଅଶସ୍ତମାର ଶସ୍ର ଗତି।୭।

ବାରାନିଧି ତୀରେ ତାର କଲେ ପ୍ରେତ କାର୍ଯ୍ୟ

ଶୁଦ୍ଧଶ୍ରାଦ୍ଧ କରି ଉତୁରିଲେ ଦେବରାଜ।୮।

ପଞ୍ଚଦଶ ଦିବସରେ କୃଷ୍ଣଂକର ପାଶେ ବସି

ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ହୃଷୀକେଶି।୯।

ୟେ ପୁତ୍ର ଗୋଟିକି ଦେବ ପାଳିବାକ ଯତନେ

ୟେହାଉଂ ବ୍ୟତ୍ରକେ ବଂଶ ରକ୍ଷଣେ ନାହିଂଟି ଆନ ଜଣେ।୧୦।

ଅଥବା ୟେହାକଇଂ ନ ସମ୍ଭାଳିଲେ ଦେବରାଜ

ବୁଡ଼ିଲା ସୋମବଂଶ ଆଉ ନାହିଂଟି କିଛି କାର୍ଯ୍ୟ।୧୧।

ତୁ ଦେବ ସକଳ ଜୀବକଇଂ ଆତ୍ମା ପଞ୍ଚଭୂତ

ତୋତେ ତିଆରିବା ପାଇଂ ମୁଂ କିସ ସାମରଥ।୧୨।

ସର୍ବଦା ବ୍ରତୁଂ ଆମ୍ଭେ ତୁମ୍ଭନ୍ତ ଆଶ୍ରେ କରି

ଯାଉଛି ଇନ୍ଦ୍ରପ୍ରଶସ୍ତେ ମୁଂ ଦେଖିବି ଧୃତିରାଷ୍ଟ ଗାନ୍ଧାରୀ।୧୩।

ଶ୍ରୀକୃଷ୍ଣ ବୋଇଲେ ମୁହିଂ ଯିବଇଂ ଇନ୍ଦ୍ର ଯେ ପ୍ରଶସ୍ତେ

କିସ ଉତ୍ତର ତୁମ୍ଭନ୍ତ ଦିଅଇ ଧୃତିରାଷ୍ଟ ମହୀପତ୍ୟେ।୧୪।

ପଞ୍ଚୁ ପାଣ୍ଡବେ ତହୁଂ ପଞ୍ଚୁ ରଥ ଆରୋହି

ଗରୁଡ଼ ପିଠିରେ ବିଜୟେ କଲେ ଦେବ ଜଗୁସାଇଂ।୧୫।

କୋଇନ୍ତା ଦ୍ରୋପତୀ ପଞ୍ଚୁ ପାଣ୍ଡବଂକର ତୁଲେ

ଇନ୍ଦ୍ରପ୍ରଶସ୍ତ ଅଭିମୁଖେ ତୁରିତେ ଚଳିଲେ।୧୬।

ଶ୍ରୀକୃଷ୍ଣ ଆଗ୍ୟାଂ ଦିଲେ ଭୀମସେନକଇଂ ରାଇ

ତୋ ତହୁଂ ପାଣ୍ଡବଂକୁ ବାବୁ ଆନ ସାଖା ନାହିଂ।୧୭।

ଧୃତିରାଷ୍ଟ ଗାନ୍ଧାରୀଂକ ଯେ ଶତେ ପୁତ୍ର କଷ୍ଟ

ତୋତେ ଦେଖି ଅନେକ କ୍ରୋଧ କରିବ ଧୃତିରାଷ୍ଟ।୧୮।

ଅନେକ ବଇକୁଲ୍ୟେ ହୋ ତୋତେ ରାଇବ କତିକି

ତୁହୋ ବ୍ରିକୋଦର ଯିବୁନାହିଂ ଟି ତାହାର ତହିଂକି।୧୯।

କ୍ଷତ୍ରୀବର ବଳିଷ୍ଠ ସେ ମହାବଳୀ ପ୍ରଚଣ୍ଡା

ମହାପର୍ବତ ଚାପନ୍ତେ ସେ ହୋଇଯିବ ମସୀଗୁଣ୍ଡା।୨୦।

ଶ୍ରୀକୃଷ୍ଣ କହିଲେ ଯହୁଂ ଚକ୍ରକୂଟ ବୁଦ୍ଧି

ଯଉଂ ଦେବ ମାୟାରେ ସୟଳ ଜନ କାର୍ଯ୍ୟ ହୋୟେ ସିଦ୍ଧି।୨୧।

କହୁଂ କହୁଂ ଶ୍ରୀକୃଷ୍ଣ ଯେ ପଥ ଗମିଯାନ୍ତେ

ପ୍ରବେଶ ହୋଇଲେ ଯାଇଂ କଟକ ଇନ୍ଦ୍ର ଯେ ପ୍ରଶସ୍ତେ।୨୨।

ଦେଖିଲେ କଟକ ଯେ ହୋଇଛି ଭଗନସ୍ତ

ପାଞ୍ଚାଳକୁମରେ ନାହାନ୍ତି ବୋଲନ୍ତି ଅଚ୍ୟୁତ।୨୩।

ଦ୍ରୋପତୀ ବୋଇଲେ ନାହାନ୍ତି ଭ୍ରାଥମାନେ ମୋହୋର

କେ ମୋହୋର ପୁତ୍ରନ୍ତ କଲାକ ଅପହାର।୨୪।

ୟେତେ ବୋଲିଣ ଦ୍ରୋପତୀ ସେ କ୍ରୋଧକଲା

ହା ହା ପୁତ୍ର ବୋଲିଣ ଯେ ଭୂଇଂରେ ପଡ଼ିଲା।୨୫।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ଯେ ବୀର

ପାଞ୍ଚାଳକୁମରନ୍ତ ନ ଦେଖି କ୍ରୋଧ କଲେକ ଅପାର।୨୬।

କୋଇନ୍ତାୟେ ବୋଇଲେ ତୁ ଶୁଣ ଶିରୀପତି

ବାଳୁତ ପୁତ୍ରନ୍ତ କେହୁ କଲାକ ୟେ ଗତି।୨୭।

ଶୁଣିଣ ନାରାୟଣ ଯେ ବଚନ ପ୍ରକାଶି

କ୍ରୋଧ ଛାଡ଼ ମା ଗୋ ବଦୟନ୍ତି ହୃଷୀକେଶି।୨୮।

ବିବାଦେ ପଶି ମୋ ତୁମ୍ଭର କିସ ଭଲ

ତୁମ୍ଭେ ଗୋ କଉରୋବନ୍ତ କେତେ ଅବସ୍ତା ନ କଲ।୨୯।

ୟେବେ କ୍ରୋଧ କରୁଛ କିମ୍ପେ ତୁହି ମାୟେ

ୟେତେକହି ଯୁଝେଷ୍ଠିଂକି ତୋଳି ଧଇଲେ ଦେବରାୟେ।୩୦।

ପଞ୍ଚୁପାଣ୍ଡବଂକୁ କ୍ରୋଧ ଶାନ୍ତି ଯେ କରାଇ

ସ୍ରାହାନ କରାଇଲେ ଦେବ ଯଦୁସାଇଂ।୩୧।

ପ୍ରେତ କାର୍ଯ୍ୟ ସାରିବେ ୟେକାଦଶ ଦିନ

ସମସ୍ତ ମୁରୁଛାଇଲେ ଦେବ ପୁରୁଷୋତ୍ତମ।୩୨।

ଯୁଝେଷ୍ଠି ବୋଇଲେ ହୋ ଶୁଣିମା ବାସୁଦେବ

ହସ୍ତିନା ପୁରକଇଂ ଯିବା ଦେଖିବା ଧୃତିରାଷ୍ଟ ବିଦୁର ଆଦି ସର୍ବ।୩୩।

ୟେତେ ବୋଲିଣ ସଜ ହୋଇଲେ ସକଳେ

ଦୁର୍ଦ୍ଦକ୍ଷ ଭୀମ ଅର୍ଜୁନ ନକୁଳ ସହଦେବ ମୂଳେ।୩୪।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ପଞ୍ଚୁପାଣ୍ଡବେ ଆବର ଯେ ଦେବକୀଂକ ତନୁ।୩୫।

ଧୃତିରାଷ୍ଟ ନବରେଣ ତୁରିତେ ପରବେଶ

ଦ୍ୱାରେଣ ବିଦୁରେ ଯେ ଦେଖିଲେ ପଞ୍ଚଶିଷ।୩୬।

ବଦୟନ୍ତି ଯୁଝେଷ୍ଠି ଦେବ ବିଦୁର ଅଗ୍ରତେ

ଧୃତିରାଷ୍ଟଂକ ଛାମୁକୁ ପିତା ଯିବାକ କେମନ୍ତେ।୩୭।

ଯୁଝେଷ୍ଠିଂକ ବଚନେ ବିଦୁର ଯାଇଂ କହି

ପଞ୍ଚୁପାଣ୍ଡବେ ଭୋ ହାଦେ ଅଇଲେ ତୋର ତହିଂ।୩୮।

ବିଦୁର ବଚନେ ଯେ ବୋଲଇ ଧୃତିରାଷ୍ଟ

କିମ୍ଭୂତେ ଅଇଲେ ମୋତେ ସୁମରାଇ ପୁତ୍ରକଷ୍ଟ।୩୯।

ମାଇଲେ କର୍ଣ୍ଣ ଶକୁନି ପୁଣ ଭୂରିସର୍ବା

ଆବର ଶତେପୁତ୍ର ଦ୍ରୋଣ ଯେ ଗାଙ୍ଗବା।୪୦।

ମାଇଲେ ବନ୍ଧୁ ସୋଦର ମୋହୋର ସର୍ବ ସଖା

ମୋହୋର ବିପତ୍ତି ତାହାଂକର ସମ୍ପଦ ଯେ ଦେଖା।୪୧।

ଯାଆନ୍ତୁ ସେ ପାଣ୍ଡବେ ହୋ ୟେଣେ ମୋହୋର କିସ କାର୍ଯ୍ୟ

ସମସ୍ତେ ନିକଳଂକ କଲେ ୟେବେ ସୁଖେ କରନ୍ତୁ ରାଜ୍ୟ।୪୨।

ବିଦୁରେ ବୋଇଲେ ୟେବେ ଶୁଣିମା କୁରୁସାଇଂ

ପାଣ୍ଡବନ୍ତ ତୋହୋର ୟେତେ କୋପ କାହିଂପାଇଂ।୪୩।

ପାଣ୍ଡବଂକର ୟେଥି ନାହିଂ କିଛି ଦୋଷମାନ

ତୁହି ସେ କୁଳକ୍ଷୟ କରାଇଲୁ ହୋ ରାଜନ।୪୪।

ଶତେକ ଅସତ ପୁତ୍ର ଜାତ କଲୁ ନୃପ

ଘୋଟିଲେ ପାଣ୍ଡବନ୍ତ ଜାଣି ଜୀର୍ଣ୍ଣକୂପ।୪୫।

ଆଦିହୁଂ ନକଲୁ ତୁ କାହାରି ଯେ ବୋଲ

ୟେକା ପୁତ୍ର ତେଜିଥିଲେ ସମସ୍ତ ହ୍ୱନ୍ତା ଭଲ।୪୬।

ୟେକାପୁତ୍ର ତେଜିବାକୁ ମନେ ବ୍ୟଥା କଲୁ

ଆପଣାର କଲା କୃତ ପରେ ଦୋଷ ଦିଲୁ।୪୭।

ଆପଣାର କଲାକୃତ୍ୟ ୟେବେ କିମ୍ପେ ବିମୁଖ ହୋଉ

ସଂହାଥେ ବିଷ ଖାଇ ପରେ ଦୁଖ ଦେଉ।୪୮।

ଯାହାକଇଂ ସମ୍ପକ୍ଷ ଅଟନ୍ତି ଶ୍ରୀବତ୍ସ

ତାହା ତହୁଂ ଦେବ କେହୁ ହୋଇବ ଆନ ଦକ୍ଷ।୪୯।

ଅନେକ ମଣାଇ କରି ଯହୁଂ ବିଦୁର କହିଲେ

ଶୁଣିକରି ଧୃତିରାଷ୍ଟ ମଉନ ବ୍ରତ ଯେ ହୋଇଲେ।୫୦।

ବିଦୁରେ ବୋଇଲେ ଶତେ ପୁତ୍ରନ୍ତ ମରାଇ

ନିର୍ଲଜ ଆତ୍ମା ୟେବେ ନଗଲା କିସ ପାଇଂ।୫୧।

ବ୍ରତିବାକୁ ଇଚ୍ଛା ଯେବେ କର ଧୃତିରାଷ୍ଟ

ପାଣ୍ଡବନ୍ତ କୋଳ କରି ପାସୋର ପୁତ୍ର କଷ୍ଟ।୫୨।

ମୂର୍ଖପଣ କରି ତୁ ହରାଇଲୁ ସର୍ବ କାର୍ଯ୍ୟ

ବୁଦ୍ଧି ହରଇ ଥୋକେ ଲୋକ ପାଆନ୍ତି ବଡ଼ ଲାଜ।୫୩।

ଆହୋ ଚଇତନ ଅନେକ ପରମାର୍ଥ ଯହୁଂ କହିଲେ ବିଦୁର

ଶୁଣିଣ କ୍ରୋଧ ମନୁ ଛାଡ଼ିଲା କୁରୁବୀର।୫୪।

ଧୃତିରାଷ୍ଟ ବୋଇଲେ ବିଦୁର ତୁମ୍ଭେ ପାଣ୍ଡବନ୍ତ ବେଗେ ଆଣ

କିସ ଅର୍ଥେ ଅଇଲେ ବୁଝିବା ତଥ୍ୟ ପୁଣ।୫୫।

ଧୃତିରାଷ୍ଟେ ବୁଝାଇ ବିଦୁରେ ଅଇଲେ

ଆସ ହୋ ଶ୍ରୀକୃଷ୍ଣ, ଯୁଝେଷ୍ଠି, ଧୃତିରାଷ୍ଟ ଆଗ୍ୟାଂ ଦିଲେ।୫୬।

ଶୁଣିଣ ଭିତରେ ପଶିଲେ ଯୁଝେଷ୍ଠି ଦେବ ସ୍ୱାମୀ

ଧୃତିରାଷ୍ଟ ଚରଣେ ପାଞ୍ଚେହେଂ ପରିଣାମି।୫୭।

ଗାନ୍ଧାରୀ ବୋଇଲେ ତହୁଂ ଶୁଣରେ ଆତ୍ମଜ

ମୋହୋର ଶତେପୁତ୍ର ମାଇଲ ତୋହୋର କିସ କାର୍ଯ୍ୟ।୫୮।

ରାଜ୍ୟ ପାଇକରି ଲଂଘିଲୁ ନା ଧର୍ମ

ଅନେକ ହତ୍ୟା କରି ଅର୍ଜିଲୁ ଅତି ଯେ ଅକର୍ମ।୫୯।

ଗାନ୍ଧାରୀ ବୋଇଲେ ମୁଂ ଯେଉଂଣ କାଳେ ବିଭା ହୋଇଥିଲି

ସ୍ୱାମୀ ଅନ୍ଧ ବୋଲି ମୋର ଶ୍ରବଣେ ଶୁଣିଲି।୬୦।

ଭ୍ରଥାଂକର ଯେବେ ମୋର ନ ଦିଶିଲା ନୟନ

ମୋହୋର ପର ମୁଖ ଚାହିଂବାରେ କିସ ପିରୋଜନ।୬୧।

ମୁହିଂ ଅନ୍ଧ ପଟଳ ବାନ୍ଧିଲି ସ୍ୱାମୀର ନିମନ୍ତେ

ଶତେପୁତ୍ର ମୁଖ ଚାହିଂଲି ବ୍ରତିଥିଲେ କାଳ ଯେତେ।୬୨।

ୟେବେ ଅନ୍ଧପଟଳ ଫେଡ଼ ଦେଖଇ ତୁମ୍ଭର ମୁଖ

ତୁମ୍ଭନ୍ତ ଦେଖି ପାସୋରଇ ପୁତ୍ରଂକର ଦୁଖ।୬୩।

ଶ୍ରୀକୃଷ୍ଣ ବୋଲନ୍ତି ବାବୁ ସହଦେବ ଶୁଣ

ୟେହାର ଅନ୍ଧ ଫେଇବାର କେବଣ କାରଣ।୬୪।

ସହଦେବ ବୋଇଲେ ଅନ୍ଧପଟଳ ଫେଇ ଚାହିଂବ ଯାହାରେ

ଅବଶ୍ୟ ଦହିଜେ ହୋଇବ ସେ ରଖି ନୋହିବ ତାହାରେ।୬୫।

ଶ୍ରକୃଷ୍ଣ ବୋଇଲେ ସହଦେବ ମୁଖ ଚାହିଂ

ଶତ୍ରୁର ଶେଷ ଲେଶ ରଖିତ ନ ଯୋଗାଇ।୬୬।

ୟେ ଆମ୍ଭର ତୁଲେ ସେ ଅଛଇ ଦୁର୍ଦ୍ଦକ୍ଷ

ସେ ଅନ୍ଧ ପଟଳ ଫେଇ ଚାହୁଂ ମାତାର ମୁଖ।୬୭।

ଶ୍ରୀକୃଷ୍ଣ ବୋଇଲେ ଯାଇଂ ଦୁର୍ଦ୍ଦକ୍ଷର ଆଗେ

ଗାନ୍ଧାରୀ ଅନ୍ଧପଟଳ ଫେଡ଼ସି ବାବୁ ବେଗେ।୬୮।

ଶ୍ରୀକୃଷ୍ଣ ବଚନେ ସେ ଗାନ୍ଧାରୀର ବାଳ

ଦୁର୍ଦ୍ଦକ୍ଷ ଫେଇଲା ମାତା ଗାନ୍ଧାରୀର ଅନ୍ଧ ଯେ ପଟଳ।୬୯।

ଆହୋ ଚଇତନ ଚକ୍ଷୁ ମଳି ଗାନ୍ଧାରୀ ଚାହିଂଲା ମୁଖ ତୋଳି

ଦୁର୍ଦ୍ଦକ୍ଷର ଶରୀର ତତକ୍ଷଣେ ଉଠିଲାକ ଜଳି।୭୦।

ପାଣ୍ଡବନ୍ତ ଘେନି ଅନ୍ତର ହୋଇଲେ ବାସୁଦେବ

ବିଦୁରେ ବୋଇଲେ ଗାନ୍ଧାରୀ ମନ୍ଦକୃତ୍ୟ କଲୁ ୟେବେ।୭୧।

ଯୁଝେଷ୍ଠିର ତହିଂ ଶରଣ ପଶିଲା ତୋହୋର ବତ୍ସ

ତାହାକୁ ଦହନ କଲୁ ସେ ତୋହୋର ଦୁର୍ଦ୍ଦକ୍ଷ।୭୨।

ଗାନ୍ଧାରୀ ବୋଇଲେ ମୁଂ ଯେ ଆଦିହୁଂ ଅନ୍ଧ ଜାତି

ମୁଂ କେହ୍ନେ ଜାଣିମି ସେ ଯେ ମୋହୋର ସନ୍ତତି।୭୩।

ଗାନ୍ଧାରୀ ବୋଇଲା ମୁଂ ଯେ ମନ୍ଦ କୃତ୍ୟ କଲି

ଚିହ୍ନି ନୁଆରି ପୁତ୍ରକୁ ଅଖଡ଼େ ମାଇଲି।୭୪।

ଶ୍ରୀକୃଷ୍ଣ ବୋଇଲେ ମା ଗୋ ସେ ତୋହୋର ପୁତ୍ର ଗୋଟି

ଶରଣ ଗଲା ତାହାକୁ ରକ୍ଷାକଲେ ଯୁଝେଷ୍ଠି।୭୫।

ୟେ ଥିଲା ତୋହୋର ଅନ୍ଧର ଲଉଡ଼ି

ତାହାକୁ ହିଂ ନାଶକଲୁ ବିପାକ କର୍ମ ତୋହୋରି।୭୬।

ୟେବେ ବାହୁଡ଼ି ଅନ୍ଧ ପଟଳ ବାନ୍ଧ ତୋହୋର ମୁଖଇ

ଯୁଝେଷ୍ଠିଂକି ଦହିଜ କଲେ ଧର୍ମ ନ ଗଚ୍ଛଇ।୭୭।

ଶ୍ରୀକୃଷ୍ଣ ବୋଇଲେ ଗୋ ପାଣ୍ଡବେ ତୋହୋର ବାଳ

ନିଜ ପୁତ୍ରନ୍ତ ପାସୋରି ୟେହାନ୍ତ ପ୍ରତିପାଳ।୭୮।

ଶ୍ରୀକୃଷ୍ଣଂକ ବଚନେ ଗାନ୍ଧାରୀ କୋପ କଲା ଶାନ୍ତି

ପୁଣି ଅନ୍ଧ ପଟଳ ବାନ୍ଧିଲା ତତକ୍ଷଣାନ୍ତି।୭୯।

ଦୁର୍ଦ୍ଦକ୍ଷ ନିଧନେ ଧୃତିରାଷ୍ଟ ବଡ଼ କଷ୍ଟି

ଇଂନ୍ଦ୍ର ସମାନେ ପାଇଥିଲି ଶତେ ପୁତ୍ର ଗୋଟି।୮୦।

ଶେଷେ ଅବା ବ୍ରତିଥିଲା ସନ୍ତାନ ଯେ ଏକ

କର୍ମର ଅବଳେ ଦେଖ ଗୋଟିୟେ ନୋହିଲା ପ୍ରାପତେକ।୮୧।

ଶ୍ରୀଗୋବିନ୍ଦେ ବୋଇଲେ ତାତ ପାଣ୍ଡବେ ତୋହୋର ବାଳ

ତାହାନ୍ତ ପାସୋରି ୟେହାନ୍ତ କର ୟେବେ କୋଳ।୮୨।

 

ଧୃତିରାଷ୍ଟ୍ରଙ୍କ ଦ୍ୱାରା ଲୌହଭୀମ ଚୂର୍ଣ୍ଣ ଓ
ଗାନ୍ଧାରୀର ଶ୍ରୀକୃଷ୍ଣଙ୍କୁ ଶାପ ପ୍ରଦାନ

ଧୃତିରାଷ୍ଟ ବୋଇଲେ ଆରେ ମୋହୋର ବାବୁ ଭୀମା

ତୋତେ କୋଳ କରି ପାସୋରିବି ମୋହୋର କ୍ରୋଧ ଆତ୍ମା।୧।

କୋଳ ପ୍ରସାରିଣ ଡାକଇ ଅମ୍ୱିକାର ସୁତ

ଶୁଣିଣ ଭୀମସେନ ଉଠିଲା ତୁରିତ।୭।

ଶ୍ରୀକୃଷ୍ଣ ଜାଣିଲେ ଧୃତିରାଷ୍ଟର ମନ୍ଦ ଚିନ୍ତା

ଭୀମସେନକଇଂ ଘୁଞ୍ଚାଇ ଆଣିଲେ ଜଗୁଜିତା।୩।

ଆସ ଆସରେ ଭୀମସେନ ତୋତେ କୋଳ ମୁଂ କରଇ

ଶତେପୁତ୍ରଂକର ମୁଂ ପୁତ୍ରକଷ୍ଟ ପାସୋରଇ।୪।

ତହୁଂ ଲୁହାର ଭୀମେକ ଯେ ଆଣିଲେ ଦେବହରି

ଧୃତିରାଷ୍ଟ କୋଳେଦିଲେ ଆକ୍ରେଷଣ କରି।୫।

ମହା ବଳବନ୍ତା ଧୃତିରାଷ୍ଟ ବଜ୍ରସେନା

ଭୁଜେ ଭିଡନ୍ତେ ଲୋହାର ଭୀମ ହୋଇଲାକ ଚୂନା।୬।

ବଇବସୁତ ମନୁୟେ ପୁଚ୍ଛାକଲେ ଅଗସ୍ତି

ବଡ଼ାଇ ଆଶ୍ରିଜ କଥା ତ କହିଲ ବ୍ରହ୍ମଯତି।୭।

ଲୋହାର ଭୀମ କାହିଂ ଥିଲା ୟେଡ଼େ ଯୋଗେ

ଧାତିକାରେ କୃଷ୍ଣ ଆଣିଦିଲେ ଅତି ବେଗେ।୮।

ଅଗସ୍ତି ବୋଇଲେ ଆହୋ ଶୁଣସି ସୁବୁଦ୍ଧି

ଧୃତିରାଷ୍ଟ ଶତେପୁତ୍ର ଉପୁଜିଲା ବିଧି।୯।

ଧୃତିରାଷ୍ଟ ବୋଇଲେ ଶୁଣସି ବିଦୁର

ପୁଅନ୍ତ ଆଣରେ ମୁଂ ଧରଇ କୋଡ଼ର।୧୦।

ବିଦୁର ବୋଇଲା ତୋହୋର ଜ୍ୟେଷ୍ଠ ପୁତ୍ର ୟେଟି

ୟେକାଙ୍ଗ ଛତ୍ର ସେ ହୋଇବ ନବସୃଷ୍ଟି।୧୧।

ଶଙ୍ଖନିଧି ପଦ୍ମନିଧି ଅଛଇ ତାହାର କରେ

ପଦ୍ମ ବିଘଂସଇଟି ଯାହାର ପୟରେ।୧୨।

ଅନେକ ରାଜାର ହୋଇବ ମଉଡ଼ମଣି

ଅନୁବ୍ରତେ ୟେହାର କନ୍ଧୁ ନଛାଡ଼ିବେ କମଳିଣୀ।୧୩।

ୟେହାର ଲକ୍ଷଣ ମୋତେ ଦିଶଇ ଲଲାଟ ପାଟିରେ

ଭୀମର ହାଥରେ ବଧ ସେ ହୋଇବ ଶେଷ କାଳେ।୧୪।

କର୍କଶ ମଧୁପିଙ୍ଗଳ ଅଟେ ୟା ପ୍ରକୃତି

ୟେ ପୁତ୍ର ମାରି ଅନେଶ୍ୱତ ପୁତ୍ର ଘେନି ହୋଅ ୟେକାଙ୍ଗ
ଚକ୍ରବ୍ରତୀ।୧୫।

ୟେହାରେ ବଂଶ ତୋହୋର ହୋଇବ ବିନଶ୍ୟତି

ବେଗେ ୟେହାକଇଂ ନାଶକର ଶୀଘ୍ର ଗତି।୧୬।

ଧୃତିରାଷ୍ଟେ ବୋଇଲେ ୟେହେନେକ ମୋହୋର ବିତକ୍ଷଣ ପୁତ୍ର

ରାଜ୍ୟଧର ପୁତ୍ରକଇଂ ମୁଂ ନାଶ କରିବି କେମନ୍ତ।୧୭।

ଲୋହାର ଭୀମେକ ଯେ ଗଢ଼ାଇଲା ଧୃତିରାଷ୍ଟ

ଦ୍ରିଯୋଧନକଇଂ ବୋଲନ୍ତି ୟେହାକୁ ନିଠାଇଣ ପିଟ।୧୮।

ଲୋହଗିରି ସମ ଅଟେ ୟେହାର ଦୀର୍ଘସ୍ଥଳୀ

ପିଟିଣ ପୁତ୍ରରେ ତୁ ହୁଅ ମହାବଳୀ।୧୯।

ସେ ଲୋହାର ଭୀମକଇଂ ଆଖଡ଼ା ଶାଳେ ଥାପି

ତାହାକୁ ଆକ୍ରେଷିଣ ଦ୍ରିଯୋଧନ ନିତ୍ୟେ ଗଦା ପ୍ରହାର
କରଇ କ୍ଷେପି।୨୦।

ଭୀମକୁ ମାରିବାକୁ ନିତ୍ୟେ କରଇ ଅଭ୍ୟାସ

ଆଖଡ଼ା ଶାଳେ ଥାଇ ସେ ରାତ୍ର ଯେ ଦିବସ।୨୧।

ସେ ଲୋହାର ଭୀମକୁ ବହି ଆଣିଲେ ଭୀମ ଅର୍ଜୁନ ନକୁଳ
ସହଦେବ ଚାରିହେଂ

ଧୃତିରାଷ୍ଟର କୋଳେ ବସାଇଲେ ସନ୍ଦେହେ।୨୨।

ସେ ଭୀମକୁ ଚାପିଲେ ଧୃତିରାଷ୍ଟ ନୃପତି

କୋଳେ ଆମଞ୍ଚନେ ଗୁଣ୍ଡି ହୋଇଲା ତତକ୍ଷଣାନ୍ତି।୨୩।

ଆହୋ ଚଇତନ ଧୃତିରାଷ୍ଟ ମୁଖରୁ ଘନଘନ ବହଇ ଶ୍ରୋଣି

ପଡ଼ିଲା ଧୃତିରାଷ୍ଟ ଯେ ବଜ୍ରଘାତ ଜାଣି।୨୪।

ଦଶସହସ୍ର ମତ୍ତହାଥୀର ପ୍ରାକ୍ରମ ସେ ଲୋହାର ଭୀମସେନ

ବେନି ଅହିବ୍ରତ ହାଥୀର ପ୍ରାକ୍ରମ ଧୃତିରାଷ୍ଟ ରାଜନ।୨୫।

କୋଳେ ଧରି ବିଦୁରେ ଯେ ମୁଖେ ଜଳ ସିଞ୍ଚି

ସାଷ୍ଟାମ ନିମନ୍ତେ ସେ ଆଲାଟ ଧରି ବିଞ୍ଚି।୨୬।

ଚେତନା ପାଇଣ ସେ ନୃପତି ଧୃତିରାଷ୍ଟ

ଭୀମର ନାମ ଧରି ସେ ରୋବଇ ମହାକଷ୍ଟ।୨୭।

କୁଳ ମଣ୍ଡନ ପୁତ୍ର ଆରେ ମୋହୋର ବ୍ରିକୋଦର

ଅକାଦ ସମୋଦ୍ରେ ମୁଂ ପଶିଲି ମୂର୍ଖ ଛାର।୨୮।

ତୋହୋର ପରା ପୁତ୍ର ମାଇଲି ମୁଂ ମନ୍ଦ

ଆଉକି ଫେରି ଆସିବ ମୋ ମାନଗୋବିନ୍ଦ।୨୯।

କାହିଂକି ଭାମସେନକୁ ମୁହିଂ ଯେ ମାଇଲି

କିମ୍ପାଇ ୟେହେନେକ ମନ୍ଦକର୍ମ କଲି

ଭୀମକଇଂ ମାରିକି ମୋହୋର ପୁତ୍ରନ୍ତ ପାଇଲି।୩୦।

ଅନେକ ବିଳାପ କରଇ ଧୃତିରାଷ୍ଟ

ତାହା ଶୁଣି ଭୀମସେନ ଅଧର କଲା ପୁଷ୍ଟ।୩୧।

ଗଦା ବୁଲାଇଣ ଯେ ମାରି ଲୋଡ଼ଇ ଭୀମ

ଯୁଝେଷ୍ଠି ବୋଇଲେ ବାବୁ ପିତାକୁ ନକର ତମ।୩୨।

ପୁତ୍ରଂକ ନିଧନେ ହୋଇ ଅଛି ବଇରାଗୀ

ପିତାମହ ୟେ ଅଟନ୍ତି ୟେହାର ଦୋଷ ପରିତ୍ୟାଗି।୩୩।

ଶ୍ରୀକୃଷ୍ଣ ବୋଇଲେ ହୋ ଶୁଣସି ଧୃତିରାଷ୍ଟ

ଭୀମକୁ ମାଇଲୁ ତୋର ୟେବେ ଗଲା ତ ପୁତ୍ରକଷ୍ଟ।୩୪।

ଆବର କ୍ରୋଧ ତୁ ଯେ କରୁ କିସ ଅର୍ଥେ

ବୃଦ୍ଧ କାଳେ ରାଜ୍ୟେ ତୁହି କର ହୋ ନିଚିନ୍ତେ।୩୫।

ଭୀମାର ନିଧନେ ପାଣ୍ଡବେ ହୋଇଲେ ନିରିମାକ୍ଷୀ

କ୍ରୋଧ ସମ୍ଭାଳି ମହାରାଜା ହୋଇଲୁ ମହାସୁଖୀ।୩୬।

ଶ୍ରୀକୃଷ୍ଣର ବଚନେ ହସଇ ଧୃତିରାଷ୍ଟ

କ୍ରୋଧ ଶାନ୍ତି ହୋଇ ପାସୋରିଲା ପୁତ୍ରକଷ୍ଟ।୩୭।

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ମହାରାୟେ

ତୋହୋରି ବୋଲେ କି ଭୀମ ହୋଇବଟି କ୍ଷୟେ।୩୮।

ଭୀମସେନ ବୋଇଲା ସୁଖୀ ହୋଇଲ ହୋ ପିତା

ମୁହିଂଟି ଭୀମସେନ ତୋହୋର ଶତେ ପୁତ୍ରହନ୍ତା।୩୯।

ୟେହେନେକ କୂଟବୁଦ୍ଧିରେ କି ପାଣ୍ଡବନ୍ତ ପାଇ

ସର୍ବଗ୍ୟଂ ପୁରୁଷନାଥ ଯାହାକୁ ଅଟନ୍ତି ସାହି।୪୦।

ଅନେକ ଝିଂଘାସି ଯେ ବୋଇଲେ ପାବେନି

ଧୃତିରାଷ୍ଟ ଚକ୍ଷୁରୁ ବହଇ ଜଳ ଶ୍ରାବଣ ଧାରା ଜାଣି।୪୧।

କୋଳେ ଧରି ବିଦୁର ଧୃତିରାଷ୍ଟକଇଂ ବୋଇଲେ

କ୍ରୋଧ ସମ୍ଭାଳ ଭ୍ରାତ କିଛି କାର୍ଯ୍ୟ ତ ନୋହିଲା।୪୨।

ଧୃତିରାଷ୍ଟ ବୋଇଲେ ମୁଂ କେହ୍ନେ ଦେହ ଧରିବି

ପୁତ୍ରଂକ ଅଭାବେ ମୁଂ କିସ ଯେ କରିବି।୪୩।

ଚାଲ ହୋ ବିଦୁର ଯିବା ୟେବେ କୁରୁକ୍ଷେତ୍ର

ରଥ ଆରୋହିଣ ଚଳିଲେ ତୁରିତ।୪୪।

ସଞ୍ଜୟ ସାରଥି ଯେ ବାହିଲାକ ରଥ

ଶ୍ରୀକୃଷ୍ଣ ସହିତେ ଗଲେ ପାଣ୍ଡବ ପଞ୍ଚଭ୍ରାଥ।୪୫।

ଶ୍ରୀକୃଷ୍ଣ ପାଣ୍ଡବନ୍ତ ଘେନିଣ ଚଳିଗଲେ

ବେନି ବଂଶରୁ ତେରଜଣ ମାତ୍ରକ ରହିଥିଲେ।୪୭।

କୁରୁକ୍ଷେତ୍ର ମଧ୍ୟେ ଯାଇଂ ପ୍ରବେଶ ହୋଇଥିଲେ

ଶ୍ରୀକୃଷ୍ଣ ଅଗ୍ରତେ ତହୁଂ ଗାନ୍ଧାରୀ ବୋଇଲେ।୪୮।

ଅନ୍ଧପଟଳ ମୁଖରୁ ଫେଇଲେ ଗାନ୍ଧାରୀ

ଦେଖଇ ବଂଶଯାକ ଅଛଇ ଅପହାରି।୪୯।

ଦେଖ ଦେଖ ଶ୍ରୀକୃଷ୍ଣ ୟେ କୁରୁକ୍ଷେତ୍ର ଭୂଇଂ

କିମ୍ପେ ରଥଯାନ ଛାଡ଼ି ଶୋଇଲେକ ମହୀ।୫୦।

ଦ୍ୱାଦଶ ଯୋଜନଯାୟେ ମୃତୁପିଣ୍ଡ ପରି

ୟେକକୁ ଆରେକ ଶୋଇଛନ୍ତି ଆଲିଙ୍ଗନ କରି।୫୧।

ଅନେକ ରାଜାୟେ ଅଇଲେ ୟେ ଭୂଅତଳେ

ଶୁତିଲେ ରଣଭୂମିରେ ଅଳକାର ନାଥ ଜାଣି କାମିନୀଂକ
ମେଳେ।୫୨।

ରତ୍ନର କଙ୍କଣମାନ ରବିର ତେଜ ଜାଣି ଦିଶି

ଚନ୍ଦ୍ରକିରଣ ଯେହ୍ନେ ବିରାଜିଲା ନିଶି।୫୩।

ସମସ୍ତ ନିରୋପିଣ ଚାହଂଇ ଗାନ୍ଧାରୀ

ଦେଖିଲା ସନ୍ୟ ସେନା ଅନେକ ଛନ୍ତି ପୂରି।୫୪।

ନିକ୍ଷେପି ଚାହାନ୍ତେ ଗାନ୍ଧାରସେନ ଦୁଲାଳୀ

ଶରଶେଯ୍ୟାୟେ ଗାଙ୍ଗେବ କତିରେ ଯାଇଂ ମିଳି।୫୫।

ଦେଖ ଦେଖ ଶ୍ରୀକୃଷ୍ଣ ୟେ ଶାୟନ୍ତନୁର ସୁତ

ସାଂଗ୍ରାମେ ସୁରାସୁର ଜିଣିମାକୁ ୟେ ସାମରଥ।୫୬।

ନିରୋପଇ ଗାନ୍ଧାରୀ ଭୀଷ୍ମଂକର ମୁଖ

ମମ ପୁତ୍ରଂକ ଆଶ୍ରିତେ ପାଇଲେ ୟେତେ ଦୁଖ।୫୭।

ଧନ୍ୟ ୟେ ଭୀଷ୍ମେ କୁରୁବଂଶେ ଉପୁଜିଲେ

ପିତାର ନିମନ୍ତେ ୟେହୁ ଦାରା ପରିତ୍ୟାଜ କଲେ।୫୮।

ଇଚ୍ଛାୟେ ମୃତୁ ୟେ ପାଇଲେକ ବରଇ

ନୋହିଲେ କି ଭୀଷ୍ମ ରଣଭୂମିରେ ପଡ଼ଇ।୫୯।

ଗାନ୍ଧାରୀ ବୋଇଲା ୟେହେନେକ କୃତ କଲ ବାବୁ

ଗତ ଆଗତକୁ ବାବୁରେ ବୁଡ଼ାଇଲ ସବୁ।୬୦।

ବାବୁ ଭୂରିସର୍ବା ବାଲହିକ କଳିଙ୍ଗସେନ ସୋମଦତ୍ତେ

ବଂଶିକ ଲୋକନ୍ତରେ ନାଶ କଲଟି କେମନ୍ତେ।୬୧।

ଭୋ କୃଷ୍ଣ ଜାଣିଲଇଂ ମୁଂ ଭୀଷ୍ମଂକର ରୀତି

ଆପଣେ ମରିକରି ପାଣ୍ଡବନ୍ତ କଲେ ପ୍ରୀତି।୬୨।

ପାଣ୍ଡବଂକୁ ସ୍ନେହ ୟେ କରନ୍ତି ସର୍ବଦିନେ

ୟେହାନ୍ତ ପାଣ୍ଡବରେ ମାଇଲ କେସନେ।୬୩।

ତହୁଂ ଶୋକ କରି ଗାନ୍ଧାରୀ ଚଳଇ କ୍ରୋଧ ଚିତ୍ତେ

ଦେଖିଲା ପଡ଼ିଛନ୍ତି ଭାରଦ୍ୱାଦଶଂକ ସୁତେ।୬୪।

ହେ କୃଷ୍ଣଚନ୍ଦ୍ର ୟେହୁ ଦ୍ରୋଣ ଗୁରୁ ଯେ ଅଟନ୍ତି

କେ ୟେହାକଇଂ ଜିଣିତେ ସାମରଥ ୟେହୁ ପୃଥୀ।୬୫।

ଅଚଳ ଚାଲିବାକୁ କେ ହୋଇଲା ସମରଥ

ପୃଥୀ ତୋଳି ଧରିବାକୁ କେ ହୋଇଲା ୟେକଛତ୍ର।୬୬।

ଅଣଚାଶ ମୂର୍ତ୍ତ ଧରି ଯେବେ ବହଇ ପବନ

ତେବେ ସେ ଜାଣିବାନା ହୋ ଦ୍ରୋଣଂକର ନିଧନ।୬୭।

କେବଣ ହିଂ ରୋଳୟେ ଦେବ ଯେ ମୁରାରି

କିମ୍ପାଇଂ ଦ୍ରୋଣେ ଯେ ପଡ଼ିଲେ ପ୍ରାଣହାରି।୬୮।

କୋଳେଣ ଅନ୍ଧାରାଜା ଧରିଣ ରୋବନ୍ତେ

ହା ହା ବୋଲି କରି ତହିଂ ରୋଦନ ଦିଅନ୍ତେ।୬୯।

ଯାହା ତହୁଂ ଶିଖି ବିଦ୍ୟା, ପାଥ ଦେବକାର୍ଯ୍ୟ କଲା

ତାହାକଇଂ କେସନେକେ ରଣେଣ ମାଇଲା।୭୦।

ଆହୋ କୃଷ୍ଣ, ଦ୍ରୋଣ ଆଚାର୍ଯ୍ୟେ ୟେହାଂକର ଗୁରୁ

ମୋହୋର ପୁତ୍ରନ୍ତ ଛାଡ଼ି ୟେହାନ୍ତ ସ୍ନେହ କରୁ।୭୧।

ଦ୍ରୋଣଆଚାର୍ଯ୍ୟେ ଅର୍ଜୁନକୁ ବହୁତ ସ୍ନେହକରି

କେମନ୍ତେ ସତ ବଳିଲା ୟେହାନ୍ତ ବଧ କରି।୭୨।

ପିଅର ଗୁରୁ ନାଶ କରି କିସ ୟେହାଂକର ସୁଖ

ଗୁରୁବଧ କଲ ଚାଣ୍ଡାଳେ ରେ ତୁମ୍ଭର ନଚାହିଂ ଯେ ମୁଖ।୭୩।

କ୍ରୋଧ କରିଣ ତହୁଂ ଚଳଇ ଗାନ୍ଧାରୀ

ଦେଖଇ ଆଗରେ ଯେ କର୍ଣ୍ଣ ଶରଘାତେ ଅଛିପଡ଼ି।୭୪।

ଦେଖିଣ ଗାନ୍ଧାରୀ ଯେ ବୋଲଇ କୃଷ୍ଣେ ଚାହିଂ

ତ୍ରଇଲୋକ୍ୟେ ଅଜୟେ କର୍ଣ୍ଣ ଛାଡ଼ିଲା କେହ୍ନେ ଦେହୀ।୭୫।

ୟେହାର ବାହୁ ବଳକୁ ଆଶ୍ରେ କରି ପୁତ୍ରେ ଯୁଦ୍ଧକଲା

ୟେତେବଡ଼ ବୀର କେହ୍ନେ କୁରୁକ୍ଷେତ୍ର ମଣ୍ଡଳେ ପଡ଼ିଲା।୭୬।

ହା ହା କର୍ଣ୍ଣ ବୋଲିଣ ଧଇଲା କୋଳାଗ୍ରତେ

ଆରେ ତୁମ୍ଭର ସୋଦର ୟେହୁ, ମାଇଲ କେମନ୍ତେ।୭୭।

ବାବୁ କର୍ଣ୍ଣରେ ଅଭେଦ କପଚ ବଜ୍ରଛଉଂରୀ ଅମୃତ କୁଣ୍ଡଳ

କପଟେ ତୋର ତହୁଂ ଦାନ ମାଗିନେଲେ ଆଖଣ୍ଡଳ।୭୮।

ଧୀର ହୋଇ ଚରଣ ଭୂମିରେ ପଡ଼ିବା ନିମନ୍ତେ

ଶତେ ଭାର ସୁବର୍ଣ୍ଣ ବସୁଧା ଲାଞ୍ଚ ଦିଅଇ ନିତ୍ୟେ ତୋତେ।୭୯।

ବାବୁ ବାସବ ଦେବତା ତୋଷିଣ ପାଇଲୁ ବଜ୍ର ଯେ ଶକତି

ୟେତେ ସଞ୍ଚିତ କରି କିମ୍ପେ ନୁଆରିଲୁ ବ୍ରତି।୮୦।

ୟେ କର୍ଣ୍ଣକୁ କେମନ୍ତେ ମାଇଲୁ ରେ ଅର୍ଜୁନ

ତୋହୋର କଲା କୃତ୍ୟଟି ହାଦେ ଦେବକୀ ନନ୍ଦନ।୮୧।

ୟେ କୁରୁସାଗର ଯେ କାହାର ବଳେ ହୋୟେ ଜିଣି

ଉପାୟେ କରି ୟେହା ମରାଇଲୁ ଚକ୍ରପାଣି।୮୨।

ତହୁଂ ରୋଦନ କରିଣ ଚଳଇ ଗାନ୍ଧାରସେନର ଦୋହିତୀ

ଦେଖଇ ଧୁଶାସନ ପଡ଼ିଅଛଇ ବିକୋତି।୮୩।

ଦେଖ ଦେଖ କୃଷ୍ଣୟେ ଧୁଶାସନ ମୋର ପୁତ୍ର

ରୋଧିରେ ପଖାଳଣ ହୋଇଛି ୟେହାର ଯେ ଗାତ୍ର।୮୪।

ଧନ୍ୟ ଧନ୍ୟ ରେ ଭୀମସେନ ପ୍ରତଗ୍ୟାଂ ତୋହୋର ଧନି

ରୋଧିରେ ପଖାଳିଲୁ ଯେ କେଶ ଜିଘ୍ନସେନୀ।୮୫।

କ୍ଷତ୍ରୀ ପଣ କରିରେ ସମରେ ମରାଇଲୁ

ହିଆ ବିଦାରି କିମ୍ପେ ରୁଧିର ପାନ କଲୁ।୮୬।

ବୋଲଇ ଭୀମସେନ ନାହିଂ ମୋର ଦୋଷ

ପୂର୍ବର ପ୍ରତଗ୍ୟାଂ ସାଚା କଲି ଗୋ ଦେଖିଲେ ତ୍ରିଦଶ।୮୭।

ଭୀମସେନ ବୋଇଲା ଗୋ ଓଷ୍ଠ ପାତ୍ରେ ଲାଇଲି ଗାତ୍ର

ଅପକୀର୍ତ୍ତି ହୋଇବ ବୋଲି ଗୋ ନକଲି ଗର୍ଭଗତ।୮୮।

ଦ୍ରୋପତୀର କେଶ ଗୋ ୟେ ଧଇଲା ଯେବଣ ହାଥେ

ସେ ହାଥ ଉପାଡ଼ିଲି ଗୋ ମାନଗୋବିନ୍ଦ ଦେଖନ୍ତେ।୮୯।

ଚଳଇ ଗାନ୍ଧାରୀ ଯେ ବିଦୁର ତୁଲେ ଘେନି

ଦେଖିଲେ ପଡ଼ିଅଛି ମନ୍ତ୍ରୀବର ଶକୁନି।୯୦।

ଆରେ ବାବୁ ତୁହିରେ ଗାନ୍ଧାର ଦେଶ ଆଧିପତି

ସୁବୁଦ୍ଧି ମନ୍ତ୍ରୀ ତୁହି ଉପାୟେ ଚକ୍ରବ୍ରତୀ।୯୧।

ଅନମିତେ ମାନଗୋବିନ୍ଦ କଲା ଯେଉଣଇ କୃତ୍ୟ

ପାଷାଣ ଘରେ ପୂରୋଇ ମାଇଲା ମୋର ତାତ।୯୨।

ତହୁଂ ଉବୁରିଲୁ ତୁ ତୋହୋର ବୁଦ୍ଧି ବଳେ

ପିତାରକଇଂ କାରଣ ତୁ କଲୁ ୟେତେ କାଳେ।୯୩।

ଦେଖ ଦେଖ ଶ୍ରୀକୃଷ୍ଣ ୟେ ମୋହୋର ସହୋଦ୍ର ଯେ ଭାଥ

ଉପାୟେ କରି ୟେଟି ମରାଇଲା ସମସ୍ତ।୯୪।

ଭାଇଂକି କିସ ଦୋଷ ଦେବା ହୋ ଜଗୁନାହା

ଶୋକ ନରହଇ ମୁଂ ଦେଖିକରି ୟେହା।୯୫।

ୟେ ଯେବେ ଶ୍ରୀକୃଷ୍ଣ ନ କରନ୍ତା ୟେଡ଼େ କୃତ୍ୟ

କିମ୍ପାଇ ମରନ୍ତେ ହରି ୟେ ମୋହୋର ଶତେ ପୁତ୍ର।୯୬।

ଭୋକୃଷ୍ଣ, କୁରୁପାଣ୍ଡବ ବେନିବଳ ନିମଞ୍ଜିଲା

ଶକୁନିର ହେତୁ ୟେତେ କୃତ୍ୟଟି ହୋଇଲା।୯୭।

ଆରେ ଆରେ ଶକୁନି ତୁ ନର୍କଗତି ପାଅ

ଦୁର୍ବୁଦ୍ଧି ପଣେ ମରାଇଲୁ ୟେ ମୋହୋର ପୁଅ।୯୮।

ତହୁଂ ଚଳିଯାନ୍ତେ ଗାନ୍ଧାରୀ ଦେଖିଲା ଜଦ୍ୟରଥ

ୟେ କିସ ଦୋଷ କଲାରେ ୟେହାକୁ ମାଇଲୁ ବୀର ପାଥ।୯୯।

ଦୃଶୀଳା କି ତୁମ୍ଭରରେ ନୁହଇ ଭୟେଣୀ

ବେଳେକ ଦୋଷ କିମ୍ପା ଉପେକ୍ଷା ନକଲୁ ଫାଲଗୁନି।୧୦୦।

ବୋଲଇ ଫାଲଗୁନି ଶୁଣସି ଗୋ ମାତ

କପଟେ ଅଭିମନ୍ୟୁକୁ ମରାଇଲ ଜଦ୍ୟରଥ।୧୦୧।

ବନସ୍ତେ ହରି ଆଣୁଥିଲା ସେ ଆମ୍ଭର ଭାରିଜା

ଦୃଶୀଳାର ଉପ୍ରୋଧ ବେଳେକ କଲୁ ଆମ୍ଭେ ତେଜ୍ୟା।୧୦୨।

ତହୁଂ ରୋଦନ କରି ଚଳଇ ଧୃତିରାଷ୍ଟର ରାଣୀ

ଅଠାଣୋଇ ଭାଇ ପଡ଼ିଅଛନ୍ତି ବହଇ ଘନଘନ ଶ୍ରୋଣି।୧୦୩।

ହା ହା ପୁତ୍ରରେ ମମ ପ୍ରାଣସମ ସରି

ସମ୍ପଦ ନ ଦେଖିଲି ଅନ୍ଧପଟଳ ବାନ୍ଧିକରି।୧୦୪।

ୟେ ତୁମ୍ଭର ବିପତ୍ତି ଦେଖିଲିରେ ବାବୁ

ଦେଖହେ ଶ୍ରୀକୃଷ୍ଣ ସଂପୋଡ଼େଣ ବଂଶ ମୋର ନାଶକଲ
ସବୁ।୧୦୫।

ଉଚ୍ଚସ୍ୱରେ ରୋଦନ କରି ଦେବୀ ପଡ଼ିଗଲା ମୃଚ୍ଛା

ୟେତେ ପୁତ୍ର ଉପୁଜାଇ ହୋଇଲି ମୁହିଂ ତୁଚ୍ଛା।୧୦୬।

ବିଦୁର ସଞ୍ଜୟ ଦୁହେଂ ତାଂକୁ ଧଇଲେକ ତୋଳି

ବୋଇଲେ ଗାନ୍ଧାରୀ ଦେଖ ଦେଖ ହୋ ବନମାଳୀ।୧୦୭।

ଆସ ବାବୁ ଭୀମସେନ ରେ ଚାହଂଇ ତୋର ମୁଖ

କେସନେକେ ପାସୋରିବି ରେ ଶତେ ପୁତ୍ର ଦୁଖ।୧୦୮।

ତହୁଂ ରୋଦନ କରିଣ ଚଳିଲେ ରାଜାରାଣୀ

ବ୍ୟାସ ସରୋବର ତୀରେ ମିଳିଲେ ତତକ୍ଷଣି।୧୦୯।

ଦେଖିଲେ ଅବସ୍ତାୟେ ପଡ଼ିଛି ଦ୍ରିଯୋଧନ ନୃପମଣି

କାତରେ ରୋବଇ ଦେବୀ ଦ୍ରିଯୋଧନ ଗୁଣ ଗୁଣି।୧୧୦।

ମଣିମୟ ମୁକୁଟ ଯେ ହୃଦେ ଶୋହେ ରତ୍ନହାରା

ନିର୍ମଳ ମେଘେ ଯେହ୍ନେ ଉଦେ ହୋନ୍ତି ଲକ୍ଷେତାରା।୧୧୧।

ଅନେକ ଦେଶର ଯେ ପଡ଼ିଅଛନ୍ତି ଦଣ୍ଡଧାରୀ

ମିଣିମୟ ମୁକୁଟ ଭୂମିରେ ଛନ୍ତିପଡ଼ି।୧୨୨।

ଦେଖିଣ ଗାନ୍ଧାରୀ ଯେ ମୃଚ୍ଛାଗତ ଗଲା

ସଚେତ ହୋଇ ପୁଣି ଅନେକ ଶୋକ କଲା।୧୧୩।

କିମ୍ପାଇଂ ଭୀମସେନ ରେ ୟେଡ଼େ ଅଧର୍ମ କୃତ୍ୟ କଲୁ

ଦ୍ରିଯୋଧନ ଜାନୁରେ କିମ୍ପେ ଗଦାୟେ ପିଟିଲୁ।୧୧୪।

କୋଟିୟେ କିରଣ ରଶ୍ମି ଯେଉଂଣ ମୁକୁଟ

ପାଦେଣ ତାହାକୁ ଚୂର କଲୁରେ ପାପିଷ୍ଠ।୧୧୫।

ବୋଲଇ ଭୀମସେନ ଶୁଣସି ଗୋ ମାତ

ଦ୍ରୋପତୀ ଜାନୁ ଯେ ଦେଖିଲା ତୋର ପୁତ୍ର।୧୧୬।

ତେଣୁ କରି ଶାପ ଦିଲେକ ଦ୍ରୋପତୀ

ଯାଅରେ ଦ୍ରିଯୋଧନ ତୋତେ ହୋଉ ଜାନୁ ଭଗ୍ନ ଶାସ୍ତି।୧୧୭।

ଅପାର ଦୋଷ ଗୋ କଲେ ତୋର ପୁତ୍ର

ଅଜାତ ଶତ୍ରୁକୁ ଗୋ ଖେଳାଇଲେ ଜୂତ।୧୧୮।

ତେର ବରଷକୁ ଗୋ କଲାକ ନିୟମ

କୃଷ୍ଣକୁ ପେଷିଣ ଗୋ ମାଗିଲୁ ପଞ୍ଚୁଗ୍ରାମ।୧୧୯।

ଦୂତପଣେ ବିଳମ୍ୱେ ସେ ଅଇଲେ ମୁରାରି

ସେକାଳେ ପୁତ୍ରନ୍ତ ଗୋ ନୁଆରିଲୁ ତିଆରି।୧୨୦।

ତୁହିକି ନଜାଣୁ କପଟେ ଖୁଆଇଲେ ମୋତେ ବିଷଲଡୁ

ଆହୁରି ଆମ୍ଭନ୍ତ କହୁ ତୋହୋର ମୁହଂ ପୋଡୁ।୧୨୧।

ଜତୁର ଘରେକ ଯେ ଭିଆଇଲେ କୂଟେ

ରାତ୍ରେଣ ତାହା ପୋଡ଼ିଦିଲେ ଗୋ କପଟେ।୧୨୨।

ସଦାବାଟି ଲୋକନ୍ତ ଗୋ ଦିଲେକ ୟେହେନେକେ ଶାସ୍ତି

କେତେ ଝିଂଘାସ ଗୋ ସହିବ ପ୍ରଜାପତି।୧୨୩।

ଆମ୍ଭମାନଂଙ୍କୁ ପଶିତେ ନଦିଲେକ ରାଜ୍ୟକୁ

ସେକାଳେ କିମ୍ପେ ନତିଆରିଲ ପୁଅଂକୁ।୧୨୪।

ମଧ୍ୟପାତ୍ର ପଣେ ଯେ ପୁଣିଗଲେ ଜନାର୍ଦ୍ଦନ

ସଭାର ତଳେ କୃଷ୍ଣଂକୁ କଲେ ଅପମାନ।୧୨୫।

ସେକାଳେ ତିଆରିଣ କିମ୍ପେ ନକଲୁ ଗୋ ମାୟେ

ଅତି ମନ୍ଦବୁଦ୍ଧିରେ ଗୋ ଅବଶ୍ୟ ଅପଜୟେ।୧୨୬।

ପୂର୍ବର ପରାଭବ ମା ଗୋ ଅଦୃଷ୍ଟକୁ ନିନ୍ଦୁ

ସେକାଳେ ନବୁଝି ଗୋ ୟେବେ କିମ୍ପେ କାନ୍ଦୁ।୧୨୭।

ପୁଣିହିଂ ରୋଦନ କରି ଗାନ୍ଧାରୀ ବୋଇଲା

ମାଇଲା ଉତ୍ତାରେ ମନ ତୋର ଶାନ୍ତି ଯେ ନୋହିଲା।୧୨୮।

ପଡ଼ିଲା ଦ୍ରିଯୋଧନ ଯେ ଗଦାଘାତ ପାଇ

ପଡ଼ିଲା ଉତ୍ତାରେ ମୁକୁଟ ମର୍ଦ୍ଦିଲୁ କିମ୍ପାଇଂ।୧୨୯।

ଅନେକ କ୍ରୋଧ ଦେବୀ ହୋଇଲେ ଅସମ୍ଭାଳ

ମାନଗୋବିନ୍ଦ ରାଜାକଇଂ ଉଠିଯାଇ କଲା କୋଳ।୧୩୦।

ଉଠ ଉଠ ବାବୁରେ ମାନଚକ୍ରବ୍ରତୀ

କେତେ ନିଦ୍ରା ଯାଉରେ ପ୍ରସର ହୋଇଲାନି ରାତି।୧୩୧।

ବାବୁ ଶତେକ ଯୁବତୀ ତୋତେ ଚାମର ଢାଳନ୍ତି

ହଂସୁଲି ତୁଳିରେ ନିଦ୍ରା ନମାଡ଼ଇ ନିତି।୧୩୨।

ସହସ୍ରେ ପଳ କସ୍ତୁରୀ ଲେପନ ତୋହୋର କାୟେ

ୟେବେ ତ ଶରୀର କଲୁ କିମ୍ପେ ରକତମୟେ।୧୩୩।

ଛଳେ ବହିଲୁ ତୁ ରେ ପୁତ୍ର ନିରଞ୍ଜନ ପଦ

ଅତିମାନେ ନାମ ତୋ ହୋଇଲା ମାନ ଯେ ଗୋବିନ୍ଦ।୧୩୪।

ପୁଣି ବୋଲନ୍ତି ବାବୁ ହେ ଦେବ ଶୁଣି ତୁହି

କଉରୋବ କାମିନୀ ଦୁଖ ଦେଖି ଦେହ ସହୁ ନାହିଂ।୧୩୫।

କେହି ପତି କେହି ପୁତ୍ର କେହି ଭ୍ରଥା ନାତି

କେହି ବା ବନ୍ଧୁ ବାନ୍ଧବ ପାଇଂ କାନ୍ଦୁଛନ୍ତି।୧୩୬।

କାକ ଶୃଗାଳ କୁକୁର ଗୃଧ୍ର ତୋଷ ବହି

ଶତ ଶତ ମୃତୁ ପିଣ୍ଡ ଭକ୍ଷୁଛନ୍ତି ଧାଇଂ।୧୩୭।

ସମର ନିହତ ବୀରଗଣଂକ ଦଶା ଚାହିଂ

ବେଶବାସ କେଶପାଶ ହୀନେ ଶ୍ରୀ ହରାଇ।୧୩୮।

ହା ହା କାର କରି କାନ୍ଦୁଛନ୍ତି ଦେଖ ଦେଖ

କେବା ମୃତ ସୁହୃଦଂକ ଦେଖୁଛନ୍ତି ମୁଖ।୧୩୯।

କେବା ତାଂକ ଗୁଣ ଗୁଣି କୁରରୀ ପରାୟେ

କାନ୍ଦୁଛନ୍ତି ନେତ୍ରୁ ନୀର ଝରଝର ବହେ।୧୪୦।

କେବା ବକ୍ଷ କର ତାଡ଼େ କେ ମହୀରେ ଗଡ଼େ

କେବା ପ୍ରାଣନାଥ ବୋଲି ଉଚ୍ଚେ ରଡ଼ି ଛାଡ଼େ।୧୪୧।

ଚନ୍ଦ୍ର ସୂର୍ଯ୍ୟ ଯାହାଂକର ଛାଇ ଦେଖିନାହିଂ

ସେମାନେ ୟେଠାରେ ଭ୍ରମୁଛନ୍ତି ବାଇ ହୋଇ।୧୪୨।

ଅଷ୍ଟାଦଶ କ୍ଷଉଣୀ ସେନା ମହାପ୍ରାଣୀ

ଯମଘରର ଅତିଥି ହୋଇଲେ ଚକ୍ରପାଣି।୧୪୩।

ଦେଖ କୃଷ୍ଣ ବିହ୍ୱଳ ଭାନୁମତୀ ଦ୍ରିଯୋଧନ ନାରୀ

ମୃତ ପତି ବକ୍ଷେ ମଥା ଅଛି ନତ କରି।୧୪୪।

କାନ୍ଦୁଛନ୍ତି ମୋତେ ଛାଡ଼ିକରି କେଣେ ଗଲ

ଅମିୟ ବଚନ ପଦେ ବାରେ ନ କହିଲ।୧୪୫।

ବିରାଟ ରାଜକୁମାରୀ ଉତ୍ତରୀ ସୁନ୍ଦରୀ

ମୃତ ଅଭିମନ୍ୟୁ ମୁଖ ନୟନେ ନିହାରି।୧୪୬।

କର୍ଣ୍ଣ ଦ୍ରିଯୋଧନାଦିଂକୁ କରୁଛି ଧିକ୍କାର

ନେତ୍ର ନୀରେ ହୋଇଅଛି ଅଂଗ ଜରଜର।୧୪୭।

କହୁଛି ହେ ନାଥ ଛଡ଼ ମାସ ହେଲା ମୋତେ

ବିଭା ହୋଇଗଲ ସତ ବଳିଲା କେମନ୍ତେ।୧୪୮।

ସର୍ଗ ବିଦ୍ୟାଧରୀ ସଙ୍ଗେ ରହିବ ସୁଖରେ

ମୁହିଂ ସିନା ଘାଣ୍ଟି ହେଉଥିବି ଦୁଖ ଘୋରେ।୧୪୯।

କପାଳେ ବିଧାତା ମୋର ୟେହା ଲିହିଥିଲା

ତୁମ୍ଭ ମୁଖ ଦେଖିଯା ମୋ ଜୀବନ ନଗଲା।୧୫୦।

ଆନ ବଧୂଗଣ ଯାହା କରୁଛନ୍ତି ଶୋକ

ତାହାତ ପ୍ରତକ୍ଷେ ଦେଖୁଅଛ ପଦ୍ମମୁଖ।୧୫୧।

ୟେହି ପରି ବହୁ ଶୋକ ଗାନ୍ଧାରୀ ଯେ କଲେ

ଶୁଣିଣ ଦ୍ରହସିତ ହୋଇ ଶ୍ରୀକୃଷ୍ଣ ବୋଇଲେ।୧୫୨।।

ଯେ ଯାହାର କଲା କର୍ମ ନୁହଇ ଯେ ଆନ

ସେ କାଳେ ନକଲୁ କିମ୍ପେ ବିଦୁର ବଚନ।୧୫୩।

ସେ ବେଳର କଥା ନପଶିଲା ତୋର କର୍ଣ୍ଣେ

ୟେତେ ଶୋକ କାହିଂ ପାଇଂ କରୁ ଦେବୀ ମନେ।୧୫୪।

ଚାଲ ଚାଲ ଦେବୀ ଗୋ କୁରୁକ୍ଷେତ୍ର ବୁଲିଯିବା

ଦ୍ୱାଦଶ ଯୋଜନ ଭୂମି ବୁଲିଣ ଦେଖିବା।୧୫୫।

ଗାନ୍ଧାରୀ ବୋଇଲେ ଆହେ ଶୁଣ ପୀତବାସ

ଆବର ରାଜାଂକୁ ଦେଖି ପ୍ରିୟୋଜନ କିସ।୧୫୬।

ଲକ୍ଷେ ରାଜା ୟେହିଠାରେ ହୋଇଛନ୍ତି ନାଶ

ତାପରେ ତାପରେ ଗଡ଼ିଛନ୍ତି ନ ଦିଶଇ ଦିଶ।୧୫୭।

ଶ୍ରୀକୃଷ୍ଣ ବୋଇଲେ ସଭାରେ ମୁହିଂ ପାଇଲି ହାଦେ ବଡ଼ ଲାଜ

ତେଣୁ କରି କରାଇଲି ଗୋ ପାଣ୍ଡବଂକରେ କାର୍ଯ୍ୟ।୧୫୮।

ଶୁଣିଣ ବଇକୁଲ୍ୟେ ଯେ ବୋଇଲେ ଗାନ୍ଧାରୀ

ତୁହି ସେ ନାଶକଲୁ ବଂଶଯାକ ଦେବ ହରି।୧୫୯।

ଆନକଇଂ ଦୋଷ ତ ମୁଂ ନୁଆରଇ ଦେଇ

ବେନି ବଂଶ ଅନ୍ୟୋଅନ୍ୱି କରାଇଲୁ ତୁହି।୧୬୦।

ଆନର ଚରିତ ୟେ ନୁହଇ ଦେବ ହରି

ୟେକଇ ବଂଶେ ତୁ କରାଇଲୁ ଯେ ବଇରି।୧୬୧।

ତୋହୋର ଗ୍ୟାନେ ନାଶଗଲାଟି ମୋର ବଂଶ

ଭୋ କୃଷ୍ଣ ୟେହି ମତି ହୋଉ ତୋହୋର ବଂଶ ନାଶ।୧୬୨।

ୟେକ ସୋଦରେ ଯେ ଅନ୍ୟୋଅନ୍ୱି କରାଉ

ୟେହି ମତି ତୋହ ବଂଶ ନାଶଯାଉ।୧୬୩।

ୟେ ବଚନ ଶୁଣି ସ୍ୱାମୀ ଉତସଲ୍ୟ କାୟେ

ଉତ୍ତମ ଶାପ ମୋତେ ଦିଲୁସି ଗୋ ମାୟେ।୧୬୪।

ମୁହିଂ ସେ ଆନକୁ କରଇ ନାଶ ଅନ୍ତକାଳେ

ମୋତେ କେହୁ ପ୍ରମାଦ ଚିନ୍ତିବ ରବି ତଳେ।୧୬୫।

ଆପଣେ ଆପଣେ ମରିବେ ଗୋ ହୋଇବ ସତ୍ୟ

ୟେ ବଚନ ପ୍ରାପତ ହେଉ ଗୋ ମୋତେ ମାତ।୧୬୬।

କୃଷ୍ଣର ବଚନେ ଗାନ୍ଧାରୀ ପାଇଲାକ ଲାଜ

ଭଲା ଶାପ ଦିଲି ହରିଂକି ହୋଇଲା ଦେବ କାର୍ଯ୍ୟ।୧୬୭।

ଲଜ୍ଜା ପାଇ ଗାନ୍ଧାରୀ ଯେ ହୋଇଲାକ ତୃଷ୍ଣି

ସମ୍ୱୋଧନା କରି ତହୁଂ ଆଣନ୍ତି ଯୁଝେଷ୍ଠି।୧୬୮।

ଯୁଝେଷ୍ଠି ବୋଇଲେ ଗୋ ମାତ ନକର ଆନଚିନ୍ତା

ମୁହିଂ ସେ ଅନୁକ୍ଷଣେ ତୁମ୍ଭଂକୁ ବିନୟେ ଭଗତା।୧୬୯।

ରଥ ବାହୁଡାଇ ଚଳନ୍ତି ଧୃତିରାଷ୍ଟ ନୃପତି

ଶ୍ରୀକୃଷ୍ଣ ବୋଇଲେ ସ୍ୱାମୀ ଶୁଣିମା ଯୁଝେଷ୍ଠି।୧୭୦।

ଚାଲ ଆମ୍ଭେ ଯିବା ତେଣେ ନାହିଂ କିଛି କାର୍ଯ୍ୟ

ପାଟ ଅଭିଷେକ ହୋଇ ସୁଖେ କର ରାଜ୍ୟ।୧୭୧।

ତହୁଂ ଛଡ଼ ଜଣେ ଯେ କରନ୍ତି ଗବନ

ଦ୍ରୋପତୀ ଆଗେ ଯାଇଂ କହନ୍ତି ଯୁଝେଷ୍ଠି ରାଜନ।୧୭୨।

ଶ୍ରୀକୃଷ୍ଣ ସମସ୍ତହିଂ ବୃତ୍ତାନ୍ତ କହିଲେ

ମାୟା ଚରିତ୍ରେ ଶ୍ରୀକୃଷ୍ଣ ଆମ୍ଭନ୍ତ ରକ୍ଷାକଲେ।୧୭୩।

ଯାହାର ଚରିତ୍ର କହିଲେ ନ ସରଇ

ହେଳେ ଯୁଝେଷ୍ଠିଂକି ଦିଲେ ରାଜ୍ୟ ଭାରଇ।୧୭୪।

ବ୍ରହ୍ମା ଅନ୍ତ କରି ନୁଆରିଲେ ମାୟା ଯାହାଂକର

ସେ କୃଷ୍ଣ ଚରଣେ ଶରଣ ମୋହୋର।୧୭୫।

ତ୍ରଇଲୋକ୍ୟ ଆଧିପତି ଅଟନ୍ତି ଜଗନ୍ନାଥ

ମାୟା ରୂପେ ଅବତରି ଅସୁର କଲେ କ୍ଷୟନ୍ତ।୧୭୬।

 

ସେ ଦେବ ଦେବ ଚରଣେ ଶରଣ ଅନୁଦିନ

ବଦୟନ୍ତି ସାରୋଳାଦାସ ବାକ୍ୟଦେବୀ ଆଗ୍ୟାଂ ପରିମାଣ।୧୭୭।୨୫୯।